ମୁହୂର୍ତ୍ତରୁ ମନ୍ୱନ୍ତର, ମନ୍ୱନ୍ତରରୁ ମୁହୂର୍ତ୍ତ ।
ବିଂଦୁରୁ ବିସ୍ତୃତି, ବିସ୍ତୃତିରୁ ବିଂଦୁ ।
ଆଁରୁ ଆକାଶ, ଆକାଶରୁ ଆଁ ।
ଉତ୍ତରଣ, ଅବତରଣ, ପ୍ରସାରଣ, ସଂକୋଚନର
ସାତ୍ତ୍ୱିକ ଶୃଙ୍ଗାର କବିତା । ତା' ଦିନଦିନର
ଦିନଲିପିରେ ଅସୁମାରି ଶିଳା, ଶାଳଗ୍ରାମ,
ସମୁଦ୍ର, ସୈକତ, ଅହଲ୍ୟା, ଅବନ୍ତୀକାର
ଆତ୍ମକଥନ । କ୍ରୋଧ, କାରୁଣ୍ୟ, ପ୍ରେମ,
ପ୍ରାର୍ଥନା, ଦେହ, ଦ୍ରୋହ, ବିଶ୍ୱାସ,
ବୈରାଗ୍ୟ, ସମୟ ଓ ସଂଶୟର
ଅନୁତ୍ତରିତ ପ୍ରଶ୍ନଚିହ୍ନ । ସେ କେବେ
ମୌନ, କେବେ ମୁଖର, କେବେ
ଉଦାସୀନ । ଏମିତି ଏକ ଉଦାସ
ଅବଲୋକନର ଆତ୍ମିକ ଅଙ୍କନ
'ପକ୍ଷଛାୟା'। କେଉଁଠି କେତେ
ଛାୟାପାତ କରିବ ଜାଣେନା । ହୁଏତ
ନକରିପାରେ ମଧ୍ୟ । ତଥାପି ବିଶ୍ୱାସ
ଅଛି ଧଳାମେଘ, ସ୍ୱଚ୍ଛ ସରସୀ ଓ
ଆଶ୍ୱିନର ଅକ୍ଷତ ଜହ୍ନ ଉପରେ ।
ସେମାନେ କବିତା ସହ ଅଛନ୍ତି ।
କବିତା ସେମାନଙ୍କ ସହ ଅଛି ।