ଜାତୀୟତାବାଦ ଏକ ସର୍ବକାଳୀନ ସର୍ବାଧୁନିକ ଚେତନା । ଏହ ଏକ ସମ୍ମିଳିତ ଶକ୍ତିର ଅଭିବ୍ୟକ୍ତି ମଧ୍ୟ । ଭାରତବର୍ଷ ଗୋଟିଏ ଦେଶ ନୁହେଁ, ଏକ ଉପମହାଦେଶ । ବିବିଧ ପ୍ରକାର ଜନଗୋଷ୍ଠୀ, ଚଳଣି, ନୃତ୍ୟ ସଂଗୀତ, ବେଶପୋଷାକ, କୃଷି ଓ ଭାଷା ଆମ ଦେଶକୁ ଆବାହମାନ କାଳରୁ ବୈଚିତ୍ର]୍ୟମୟ କରି ରଖିଛି । ଏ ଦେଶର ଭୂମିରେ ସୁନା ଫଳେ । ଏ ଭୂଖଣ୍ଡ ମୁନିଋଷିମାନଙ୍କ ବାସସ୍ଥଳୀ ।
ଐଶ୍ୱର୍ଯ୍ୟମୟୀ, ସର୍ବାଳଙ୍କାରବୃତ୍ତା, ଅରଣ୍ୟାନି ଅଧ୍ୟୁଷିତା, ଗିରିମାଳାବେଷ୍ଟିତା ଭାରତବର୍ଷ, ଯାହାର ପାଦ ଧୌତ କରିବାକୁ ବ୍ୟଗ୍ର ସାଗରମାଳା; ସେହି ଆମ ଜନ୍ମଭୂମି ଦୀର୍ଘକାଳ ବାହ୍ୟଶତ୍ରୁ ଆକ୍ରମଣ ଦ୍ୱାରା ଘୋର ନିର୍ଯାତନାର ଶିକାର ହେଲା । ଶହ ଶହ ବର୍ଷ ଧରି ଲୁଣ୍ଠିତ ହେଲା ଦେଶ ମୋଗଲ, ପଠାଣ, ମରହଟ୍ଟାମାନଙ୍କ ଦ୍ୱାରା । ଶେଷରେ ନିର୍ଯାତନାର ମୁଣ୍ଡି ମାରିଲେ ଇଂରେଜମାନେ । ଓଡ଼ିଶା ଅଧିକାର କଲେ ୧୮୦୩ରେ ।
ଏହି ଇତିହାସ ଯେତିକି ଦୁଃଖଦାୟକ ସେତିକି ରୋମାଞ୍ଚକର । ହାତରେ ଗୁଳିଗୋଳା, କମାଣ ନାହିଁ । ଖାଦ୍ୟାଭାବରେ ଦେହ ଦୁର୍ବଳ । ପିନ୍ଧିବାକୁ ବସ୍ତ୍ରାଭାବ । ବିଦେଶୀ ଗୋରା ସର୍ବସ୍ୱ ନେଇଗଲେଣି, ତଥାପି କିପରି ସ୍ୱାଧୀନତା ସଂଗ୍ରାମ ହେଲା, ବ୍ରିଟିଶ ଶାସକ ହାରିଲେ ଓ ଭାରତୀୟ ଜିତିଲେ, ଭାରତବର୍ଷ ସ୍ୱାଧୀନ ହେଲା ତାହା ଗୋଟାଏ ମିରାକଲ୍ ।
ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସ ସହିତ ପ୍ରତ୍ୟେକ ଭାରତବାସୀ ପରିଚିତ ହେବା ଆବଶ୍ୟକ ।
ପିଲାଦିନୁ ଭାରତ ସ୍ୱାଧୀନତା ସଂଗ୍ରାମ କାହାଣୀ, ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ହେବା କାହାଣୀ ବାପାଙ୍କଠାରୁ ଶୁଣିଛି । ଗାନ୍ଧୀ, ମଧୁସୂଦନ, ଗୋପବନ୍ଧୁ, ଗୋଦାବରୀଶଙ୍କ ଫଟୋଚିତ୍ର ତଳେ ମୁଣ୍ଡିଆ ମାରିବା ଶିଖିଛି । ଧୀରେ ଧୀରେ ପାଠ ପଢ଼ିବା ସହିତ ସ୍ୱାଧୀନତା ସଂଗ୍ରାମକୁ ଓଡ଼ିଆ ସାହିତ୍ୟର ଅବଦାନ ସଂପର୍କରେ ଅବଗତ ହୋଇଛି । ଓଡ଼ିଆ କବି, ଲେଖକ, ପ୍ରାବନ୍ଧିକ, ନାଟ୍ୟକାରମାନଙ୍କ ଏ ଅବଦାନ ପ୍ରତ୍ୟେକ ଓଡ଼ିଆ ଛାତ୍ର, ଅଭିଭାବକ ଜାଣିବା ଆବଶ୍ୟକ । ବିଶେଷ ଭାବରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ।
ସେଥିପାଇଁ ଏହି କ୍ଷୁଦ୍ର ପ୍ରୟାସ ।